ଯାହା କରିବାର ନୁହଁ
17 ଜୁଲାଇ 2017
ଶେୟାର କରନ୍ତୁ :
ଶିକ୍ଷା ଏବଂ ବୈଷୟିକ ଦକ୍ଷତା ଜଣଙ୍କ ଜୀବନର ମୂଳଦୁଆ ପକାଇଥାଏ। ଜଣେ ହୁଏତ ଆଇଟିଆଇରେ ପାଠ ପଢି ଗୋଟିଏ କାରଖାନାରେ ଚାକିରି କରିପାରନ୍ତି କିମ୍ବା ନିଜର ୱାର୍କ୍ସପ୍ଟିଏ ଖୋଲି ପାରନ୍ତି। ଅନ୍ୟ ଜଣେ ହୁଏତ ରିଟେଲ୍ ଆସିଷ୍ଟାଣ୍ଟ୍ କିମ୍ବା ନର୍ସିଙ୍ଗ୍ ଟ୍ରେନିଙ୍ଗ୍ ଗ୍ରହଣ କରି ମଲ୍ ବା ହସ୍ପିଟାଲ୍ରେ ପେସାଗତ ଜୀବନ ଆରମ୍ଭ କରିପାରନ୍ତି। ବାଛି ନେଇଥିବା କ୍ଷେତ୍ରଟି ଯାହା ହେଉ ନା କାହିଁକି, ପରବର୍ତ୍ତୀ ସମୟରେ ଜଣଙ୍କର ଉନ୍ନତି କେତୋଟି ବିଶେଷ ଗୁଣ ଉପରେ ନିର୍ଭର କରେ। ସାଧାରଣତଃ ଏସବୁ ନେଇ ସ୍କୁଲ, କଲେଜରେ ଆଲୋଚନା ହୋଇଥାଏ। କର୍ମକ୍ଷେତ୍ରରେ କ’ଣ କରିବା ଉଚିତ, ତାହା ନେଇ ଅନେକ ବହି ମଧ୍ୟ ରହିଛି। କିନ୍ତୁ ଆଜି ମୁଁ ଆଲୋଚନା କରିବି କ’ଣ ନ କରିବା ଉଚିତ, ତାହା ନେଇ। ଅର୍ଥାତ୍, କ’ଣ କଲେ ଉନ୍ନତି କରିବା ଦୂରେ ଥାଉ, ଆମେ ତଳକୁ ଟାଣି ହୋଇଯିବାର ଭୟ ରହେ।
ବିଭିନ୍ନ ଗର୍ହିତ କାମ ମଧ୍ୟରେ ଯାହା ମୋ ମନକୁ ପ୍ରଥମ ଆସେ, ତାହା ହେଲା deadline ବା ସମୟସୀମା ହରାଇ ବସିବା। ଆମେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ହିଁ deadline। ଇଂରାଜୀର ଏହି ଶବ୍ଦଟିକୁ ଓଡିଆ ଭାଷାନ୍ତର କରି ସମୟସୀମା ବୋଲି କୁହାଯାଉଛି; କିନ୍ତୁ ପ୍ରକୃତରେ ଇଂରାଜୀ ଶବ୍ଦଟିର ଅର୍ଥ ଓଡିଆ ଶବ୍ଦ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ। ଇଂରାଜୀ ଶବ୍ଦଟିକୁ ଏଭଳି ତର୍ଜମା କରାଯାଇପାରେ - ପ୍ରତିଶ୍ରୁତ ସମୟ ଗଡିଗଲେ ତାହା ମୃତ୍ୟୁ ସହ ସମାନ।
ବେଳେବେଳେ ଏଭଳି ବି ହୋଇପାରେ ଯେ ପ୍ରତିଶ୍ରୁତି ଦେଇ ଶତ ଚେଷ୍ଟା ସତ୍ତ୍ବେ କୌଣସି କାରଣରୁ ସମୟ ଅନୁସାରେ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇପାରେ ନାହିଁ। ସେଭଳି କ୍ଷେତ୍ରରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା ନ କରି ସମୟ ଥାଉ ଥାଉ ସ୍ପଷ୍ଟଭାବରେ ଅକ୍ଷମତା ପ୍ରକାଶ କରିବା ଉଚିତ। ଏଥିପାଇଁ ସ୍ପଷ୍ଟଭାଷୀ ହେବା ଆବଶ୍ୟକ।
ସ୍ପଷ୍ଟଭାଷୀ ହେବା ପାଇଁ ଜଣଙ୍କୁ ନିର୍ଭୀକ ମଧ୍ୟ ହେବାକୁ ପଡେ। ମୋ ମତରେ ଯଦି କୌଣସି ଅକ୍ଷମତା ପ୍ରକାଶ କରିବାର ହୁଏ କିମ୍ବା କୌଣସି ଖରାପ ଖବର ଦେବାକୁ ହୁଏ, ତେବେ ତାହା ମୁଖାମୁଖି ହୋଇ ଅକପଟ ଭାବରେ ଜଣାଇବା ଜଣେ ପ୍ରଫେସନାଲ୍ର ଲକ୍ଷଣ। ଭଲ ଖରାପଟିଏ ଇ-ମେଲ୍ କିମ୍ବା ହ୍ବାଟ୍ସଅପ୍ ଜରିଆରେ ପରୋକ୍ଷ ଭାବରେ ଅନ୍ୟଜଣଙ୍କୁ ସୂଚିତ କରାଯାଇପାରେ। କିନ୍ତୁ ମନ୍ଦ ଖବର ସବୁବେଳେ ପ୍ରତ୍ୟକ୍ଷ ଭାବରେ ଜଣାଇବା ଉଚିତ।
କହିବା ବାହୁଲ୍ୟ, ସ୍ପଷ୍ଟବାଦୀ ମଣିଷ ବିଶ୍ବାସଭାଜନ ହୁଅନ୍ତି। ଏହି ବିଶ୍ବାସଭାଜନ ହେବାର ଗୋଟିଏ ଆନୁସଙ୍ଗିକ ଗୁଣ ହେଲା ଗୋପନୀୟତା ରକ୍ଷା କରିବା। ଜଣେ ନର୍ସ୍ଙ୍କର ଉଦାହରଣ ନିଆଯାଉ। ସେ ତାଙ୍କର ଦାୟିତ୍ବରେ ଥିବା ରୋଗୀମାନଙ୍କ ବିଷୟରେ ବହୁତ କଥା ଜାଣିଥାଆନ୍ତି। କିନ୍ତୁ ସେ ବିଷୟରେ ଅନ୍ୟ କାହା ସହିତ ଆଲୋଚନା କରିବା ସମ୍ପୂର୍ଣ୍ଣ ଅନ୍ପ୍ରଫେସନାଲ୍ ଆଚରଣ। ଗୋପନୀୟତା ଉଲ୍ଲଂଘନ କରିବା ନିହାତି ଗର୍ହିତ କାର୍ଯ୍ୟ। ଏହା କେବଳ ଡାକ୍ତର, ନର୍ସ୍ କିମ୍ବା ଓକିଲଙ୍କ ପ୍ରତି ପ୍ରଯୁଜ୍ୟ ନୁହଁ, ବିଭିନ୍ନ ସଂସ୍ଥାରେ କାମ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏଥିପ୍ରତି ସଜାଗ ରହିବା ଉଚିତ। ନିଜ ସଂସ୍ଥାରୁ କିଏ କେଉଁ ଦରରେ ଜିନିଷ କିଣୁଛି, ବିକୁଛି, କାହାର ଭବିଷ୍ୟତ ପାଇଁ କିଭଳି ଯୋଜନାମାନ ରହିଛି - ଏସବୁ ବିଷୟରେ ଜଣେ ଜ୍ଞାତ ଥିଲେ ମଧ୍ୟ ସଂସ୍ଥା ଅଧିକାରୀଙ୍କ ଅନୁମତି ବିନା ବାହାରେ କୌଣସି ଆଲୋଚନା କରିବା ଅନୁଚିତ।
ଗୋପନୀୟତା ଭଙ୍ଗ କରିବା ଯେପରି ପେସାବିରୁଦ୍ଧ ବ୍ୟବହାର, ଠିକ୍ ସେହିଭଳି ନିଜ ଭୁଲ ତୃଟିକୁ ଅନ୍ୟ ମୁଣ୍ଡରେ ଢାଳିଦେବାର ଆଚରଣ ନିନ୍ଦନୀୟ। ସ୍କୁଲ୍ରେ ଊଣା ଅଧିକେ ଅନେକେ ‘ମୁଁ ଭୁଲ କାମଟି କରିନି, ସେ କରିଛି’ ର ଆଶ୍ରୟ ନେଇଥାଆନ୍ତି। କିନ୍ତୁ କର୍ମଜୀବନରେ ଏଭଳି ଆଚରଣ ଅସମୀଚୀନ ବୋଲି ଗଣା ହୁଏ। ସେଇଭଳି ଆଉ ଗୋଟିଏ ଗର୍ହିତ କାର୍ଯ୍ୟ ହେଲା ଅନ୍ୟର କାମକୁ ନିଜର କହି ଚଳେଇଦେବା। ଏହି ଆଚରଣକୁ କର୍ମଜଗତରେ ହୀନ ଦୃଷ୍ଟିରେ ଦେଖା ଯାଇଥାଏ। ବହୁ ସମୟରେ ଏଭଳି କରିଥିବା ଜଣେ ବ୍ୟକ୍ତିଙ୍କୁ ମୁହଁ ଉପରେ କେହି କିଛି କୁହନ୍ତି ନାହିଁ, କିନ୍ତୁ ପରୋକ୍ଷ ଭାବରେ ତାଙ୍କୁ ଖରାପ ମନ୍ତବ୍ୟ ଦିଆଯାଇଥାଏ। ଏଥିରେ ତାଙ୍କର ସମ୍ମାନରେ ଆଞ୍ଚ ଆସେ।
ବେଳେବେଳେ ଭଲ ଚାକିରି ଆଶାରେ କେତେକ ନିଜର ଶିକ୍ଷା, ଅଭିଜ୍ଞତାକୁ ବଢାଇ କିମ୍ବା ଅତିରଞ୍ଜିତ କରି ବାୟୋଡାଟାରେ ଲେଖି ଦିଅନ୍ତି। ଦୁଃଖର କଥା, ନିଜ ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେତେ ଜଣ ମଧ୍ୟ ଏଭଳି କରିବାକୁ ବୁଦ୍ଧି ଦେଇଥାଆନ୍ତି। ହେଲେ ସମସ୍ତେ ଜାଣିରଖିବା ଉଚିତ ଯେ ଆଜିର ଯୁଗରେ ଏସବୁ ଅସତ୍ୟ ସାମ୍ନାକୁ ଆସିବାକୁ ସମୟ ଲାଗେ ନାହିଁ ଏବଂ ଜୀବନଯାକର ସମ୍ମାନ କ୍ଷଣିକରେ ଚାଲିଯାଏ।
ଏ ପର୍ଯ୍ୟନ୍ତ ମୁଁ ଯାହା ଯାହା ଲେଖିଲି, ସେସବୁ ବ୍ୟବହାର ସମ୍ପର୍କିତ। ବର୍ତ୍ତମାନ ମୁଁ ବ୍ୟକ୍ତିଗତ ଆଚାର ବିଷୟରେ କିଛି ଆଲୋଚନା କରିବାକୁ ଚାହୁଁଛି। ବହୁବର୍ଷ ତଳେ ମୁଁ ଚାକିରି କରୁଥିବା ସଂସ୍ଥା ଆମେରିକାର ଗୋଟିଏ କମ୍ପାନୀରେ ପ୍ରୋଜେକ୍ଟ୍ଟିଏ କରୁଥିଲା। ମୁଁ ଦାୟିତ୍ବରେ ଥିଲି। ମୋ ସଂସ୍ଥାର ଇଞ୍ଜିନିୟର୍ମାନେ ତାଙ୍କ ଅଫିସରେ ବସି ସେମାନଙ୍କର ଲୋକମାନଙ୍କ ସାଙ୍ଗରେ କାମ କରୁଥିଲେ। ଦିନେ ସେଇ ସଂସ୍ଥାର ଜଣେ କର୍ମକର୍ତ୍ତା ମୋତେ ଡକାଇ କହିଲେ - ‘ଅତ୍ୟନ୍ତ ଲଜ୍ଜା ଓ ସଙ୍କୋଚର କଥା, କିନ୍ତୁ ଆପଣଙ୍କୁ କହିବାକୁ ବାଧ୍ୟ ହେଉଛି। ଆପଣଙ୍କର କିଛି ଲୋକ ଦୈନନ୍ଦିନ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଲୁଗାପଟାରୁ, ମୋଜାରୁ, ଦେହରୁ ଉତ୍କଟ ଝାଳ ଗନ୍ଧ ହେଉଛି।’ ଭଦ୍ରବ୍ୟକ୍ତିଙ୍କ କଥା ଏକଦମ୍ ସତ ଥିଲା। ଜଣେ ଭାରତୀୟ ହିସାବରେ ମୋ ମୁଣ୍ଡ ତଳକୁ ହୋଇଯାଇଥିଲା।
ଆଜିର ପ୍ରତିଯୋଗୀତାମୂଳକ କର୍ମ କ୍ଷେତ୍ରରେ ପ୍ରତି ପ୍ରଫେସନାଲ୍କୁ କେବଳ ଯେ କାର୍ଯ୍ୟଦକ୍ଷ ହେବାକୁ ହେବ, ତା’ ନୁହଁ। ଏହା ସହିତ ବ୍ୟକ୍ତିଗତ ଉପସ୍ଥାପନାର ଆବଶ୍ୟକତା ରହିଛି। ଜଣେ ପ୍ରଫେସନାଲ୍କୁ ନିଜର ପୋଷାକ ପରିଚ୍ଛଦ ଏବଂ ସ୍ବାସ୍ଥ୍ୟରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ। ଟ୍ୟାକ୍ସିଚାଳକ ହେଉ ବା ବିମାନର ପାଇଲଟ୍ - ସବୁବେଳେ ନିଜକୁ ସ୍ମାର୍ଟ୍ ରଖିବା ପ୍ରୟୋଜନ। ନିଜକୁ ଜଣେ ପ୍ରଫେସନାଲ୍ ରୋଲ୍ ମଡେଲ୍ ଭାବରେ ଦେଖିବାକୁ ବା ଗଢିବାକୁ ହେବ।